ପୂର୍ବତନ ସାଂସଦ ପ୍ରତିନିଧଙ୍କ ନାମରେ ସରକାରୀ ଜମି ଜବରଦଖଲ ଅଭିଯୋଗ- ନବରଙ୍ଗପୁର
ପୂର୍ବତନ ସାଂସଦ ପ୍ରତିନିଧଙ୍କ ନାମରେ ସରକାରୀ ଜମି ଜବରଦଖଲ ଅଭିଯୋଗ- ନବରଙ୍ଗପୁର
ଝରିଗାଁ-(ବ୍ରାହ୍ମ ମୁହୂର୍ତ୍ତ)୨୨/୦୭: ନିଜ କ୍ଷମତାର ଦୁରୁପଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରତିନିଧି। କ୍ଷମତାର ଦୁରୁପଯୋଗ କରି ଏକର ଏକର ସରକାରୀ ଜମିକୁ ବଳପୂର୍ବକ ଅକ୍ତିଆର କରିଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଝରିଗାଁ ବ୍ଲକ୍ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଓରଫ ବୁଲୁ ଦାସ। ବର୍ଷାଧିକ କାଳ ଏହିପରି ଭାବେ ଏକାଧିକ ସରକାରୀ ଜମି ଜବରଦଖଲ କରି ଆସିଥିବା ନେଇ ଆଜି ଝରିଗାଁ ବ୍ଲକ୍ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଲୋକେ। ଅଭିଯୋଗ ଅନୁଯାୟୀ ବୁଲୁ ଦାସ ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରତିନିଧି ଥିବା ସମୟରେ ଝରିଗାଁ ସ୍ଥିତ ନିଜ ବାସଭବନ ସନ୍ନିକଟ ମଶାଣିପଦାର କିଛି ଜାଗାକୁ ଜବରଦଖଲ କରି ସେଠାରେ ଏକ ଘର ନିର୍ମାଣାଧୀନ ଥିବା ବେଳେ ଝରିଗାଁ ଠାରେ ଡିଗ୍ରୀ କଲେଜ ପାଇଁ ସଂରକ୍ଷିତ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରିଛନ୍ତି ବୁଲୁ ଦାସ। ସେହିଭଳି ଝରିଗାଁ ଠାରେ ନିର୍ମାଣାଧୀନ ନୂତନ କୋର୍ଟ ସାମନାରେ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ବୁଲୁ ଦାସ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ବେଳେ ଝରିଗାଁ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା କଡ଼ରେ ମଧ୍ୟ ବୁଲୁ ଦାସ ପ୍ରାୟ ୫୦ ସେଣ୍ଟ ସରକାରୀ ଜମି ଜବରଦଖଲ କରି ସେଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ଲୋକେ। ଏହାର ତ୍ଵରିତ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀ। ଅଭିଯୋଗ ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକଙ୍କୁ ଏହାର ଉପଯୁକ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
Comments
Post a Comment