ମୃତ୍ୟୁ ପରେ ବି, ଭିଆଇପିଙ୍କ ପାଇଁ ସ୍ୱର୍ଗଦ୍ୱାରରେ ସ୍ଥାନ ସଂରକ୍ଷିତ !!
ମୃତ୍ୟୁ ପରେ ବି, ଭିଆଇପିଙ୍କ ପାଇଁ ସ୍ୱର୍ଗଦ୍ୱାରରେ ସ୍ଥାନ ସଂରକ୍ଷିତ !!
----------------------------
ଏବେ ଦିନେ ପୁରୀ ସ୍ବର୍ଗ ଦ୍ବାରକୁ ଯିବାର ସୌଭାଗ୍ୟ ମିଳିଥିଲା କୋକେଇ ଉପରେ ଶୋଇକି ନୁହେଁ, କୋକେଇ ସାଥିରେ ଚାଲିକି । କିଏ ଜଣେ କହିଲା ଯେ ପୁରୀ ସ୍ବର୍ଗଦ୍ବାର କୁଆଡ଼େ ଭାରି ଚକାଚକ୍ ହୋଇଯାଇଛି। ଭାବିଲି ଶୋଇକି ଯିବା ପୂର୍ବରୁ ଥରେ ଚାଲିକି ଯାଇ ଦେଖି ଆସେ । ମନଟା ଯେମିତି ଶୋଇକି ଗଲାବେଳେ ଅପରିଷ୍କାର ଜାଗାଟା ବୋଲି ଭାବି ଆଉ ଦୁକୁଦୁକୁ ହେଉ ନଥବ । କିଏ ଜାଣେ କେତେବେଳେ କ'ଣ ଘଟିବ ? ଅନ୍ତତଃ ମଣିଷ ଟିକେ ଶାନ୍ତିରେ ତ ପୋଡ଼ା ହେବ । ସତରେ ଭାରି ଚକାଚକ୍ ହୋଇଯାଇଛି । ଦେଖିଲେ ମରି ଯିବାକୁ ଆଉ ଡର ମାଡୁନାହିଁ । ଶୁଣିଲି, ପୁରୀ ସ୍ବର୍ଗଦ୍ବାର କିଛି ନୁହଁ। ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦରାବାଦରେ ଏପରି ସବୁ ପଞ୍ଚତାରକା ସ୍ବର୍ଗଦ୍ବାର ନିର୍ମାଣ ହୋଇଛି ଯେ ତାକୁ ଦେଖିଲେ ଆପଣଙ୍କର ସେଇଠି ମରିଯିବାକୁ ଇଚ୍ଛା ହେବ । ଯାହା ହେଉ ସେମତି ନ ହେଲେ ବି ଆଉ ଆଗ ଭଳି ଅପରିଷ୍କାର ଅପରିଚ୍ଛନ୍ନ ନାହିଁ । ଚାରିଆଡ଼େ ମାର୍ବଲ, ଗ୍ରାନାଇଟ, ଆଲୋକସଜ୍ଜା ଓ ବିଭିନ୍ନ ଗଛପତ୍ର ଲାଗି ବେଶ୍ ସୁନ୍ଦର ହୋଇଯାଇଛି । ସବୁ କଥା ଗୋଟିଏ ନିର୍ଦ୍ଦିଷ୍ଟ ଧାରାରେ ହେଉଛି । ଆଗେ ଯେମିତି ଯିଏ ଯେଉଁଠି ପାଇଲା ସେଇଠି ପୋଡି ଦେଉଥିଲା ସେମିତି ଆଉ ନାହିଁ । ଆପଣଙ୍କୁ ନିୟମାନୁଯାୟୀ ତାଲିକାଭୁକ୍ତ ହେବା ପରେ ଆପଣଙ୍କ ସଂଖ୍ୟା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଅପେକ୍ଷାରତ ମୃତ ଶରୀର ପାଇଁ ସ୍ବତନ୍ତ୍ର ମାର୍ବଲ ଓ ଗ୍ରାନାଇଟ ପିଣ୍ଡିମାନ ତିଆରି ହୋଇଛି । ଅନ୍ତିମ ସଂସ୍କାର ନିମନ୍ତେ ପଣ୍ଡିତ ମିଳିବା ସହିତ ପୂଜା କରିବା ନିମନ୍ତେ ସମସ୍ତ ପ୍ରକାର ଫୁଲ ଓ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ଜାଳେଣି କାଠ ଯେତିକି ଦରକାର ସେତିକି ମିଳୁଛି । ଏପରି କି ବସିବା, ଶୋଇବା ଓ ପିଇବା ପାଇଁ ଆଧୁନିକ ଶୀତତାପ ନିୟନ୍ତ୍ରିତ ଭୋଜନାଳୟର ମଧ୍ୟ ବ୍ୟବସ୍ଥା ରହିଛି। ଡାକବାଜି ଯନ୍ତ୍ର ମଧ୍ୟରେ ନିରନ୍ତର ଗାୟତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ର ବୋଲା ଚାଲିଛି ଓ ଆବଶ୍ୟକୀୟ ସୂଚନା ମଝିରେ ମଝିରେ ଦିଆ ଚାଲିଛି । ସବୁ ଠିକ୍ ଅଛି କିନ୍ତୁ ବ୍ୟବହାର କରିବା ପାଇଁ ଯେତିକି ପିଣ୍ଡି ଅଛି, ତାହାଠାରୁ ଅଧିକ ଶବ ହୋଇ ଯିବାରୁ ଦ୍ବାର ଦେଶରେ କିଛି ଶବ ଅପେକ୍ଷାରତ ଅବସ୍ଥାରେ ଦେଖିବାକୁ ମିଳିଲା ସବୁ ପିଣ୍ଡିରେ ଶବଗୁଡ଼ିକ ହୁତୁହୁତୁ ହୋଇ ଜଳୁଥିଲେ; କିନ୍ତୁ ସମୁଦ୍ର କୂଳକୁ ଲାଗି ପ୍ରାୟ ଆଠଟି ପିଣ୍ଡି ଖାଲି ପଡିଥିଲା। ଏଣେ ପିଣ୍ଡି ଖାଲି ପଡିଛି, ଆଉ ତେଣେ ଶବ ଓ ଶବବାହକମାନେ ଅପେକ୍ଷା କରି ରହିଛନ୍ତି। କାରଣ କ'ଣ ? ବୁଝୁବୁଝୁ ଜଣାପଡିଲା ଯେ ଏହି ପିଣ୍ଡିଗୁଡ଼ିକ କୁଆଡ଼େ ଅତି ବିଶିଷ୍ଟ ବ୍ୟକ୍ତି (ଭିଆଇପି) ଙ୍କ ଶବଗୁଡ଼ିକ ପାଇଁ ସଂରକ୍ଷିତ ହୋଇ ରହିଛି। ହେ ଭଗବାନ, ଏଠି ବି ଭିଆଇପି.! ଜିଇଁଥିଲା ଯାକ ତ ଆପଣମାନେ ଭିଆଇପି ହୋଇକି ଉପଦ୍ରବ କଲେ। ରାସ୍ତାରେ ଘାଟରେ ଆମକୁ ଟିକେ ଶାନ୍ତିରେ ଚାଲିବାକୁ ଦେଲେନାହିଁ; ଆଉ ଏବେ ମଲା ପରେ ବି ଆମକୁ ଟିକେ ଶାନ୍ତିରେ ମରିବାକୁ ବି ଦେବେ ନାହିଁ। ଏହି ଅତି ବିଶିଷ୍ଟ ବ୍ୟକ୍ତିମାନେ ଜିଇଥିଲା ଯାକ ଯେତେବେଳେ ପୁରୀ ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି, ମନରେ ପ୍ରଶ୍ନ ଉଠେ କିଏ କାହାକୁ ଦର୍ଶନ କରିଥାନ୍ତି ? ଏମାନେ ଠାକୁରଙ୍କୁ ଦର୍ଶନ କରନ୍ତି ନା ଠାକୁର ଏମାନଙ୍କୁ ଦର୍ଶନ କରନ୍ତି । ଆମ୍ଭେମାନେ ସାଧାରଣତଃ ଠାକୁରଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରିଥାଉ। ଏମାନଙ୍କ ପାଇଁ ବୋଧହୁଏ ଠାକୁର ଦର୍ଶନ ଦେବାକୁ ଅପେକ୍ଷା କରିଥାନ୍ତି, କାରଣ ଏମାନେ ଆସିବା ପୂର୍ବରୁ ଆମ୍ଭ ମାନଙ୍କୁ ସବୁ ମନ୍ଦିର ଭିତରୁ ଘଉଡ଼େଇ ଦିଆଯାଇଥାଏ ଓ ବଡ଼ଠାକୁରଙ୍କୁ ଏମାନଙ୍କ ପାଇଁ ଦର୍ଶନ ନିମନ୍ତେ ସଂରକ୍ଷଣ କରି ରଖା ଯାଇଥାଏ। ଜୀବନଯାକ ମନ୍ଦିର ଭିତରେ ଏହି ସଂରକ୍ଷଣ ବ୍ୟବସ୍ଥା। ଏମାନଙ୍କ ପାଇଁ ରଖାଯାଇଥାଏ; କିନ୍ତୁ ମୃତ୍ୟୁ ପରେ ବି ଏହି ବ୍ୟବସ୍ଥା ସ୍ବର୍ଗଦ୍ବାରରେ ଲାଗୁ ହେଉଛି ବୋଲି ଦେଖିବାକୁ ପଡିଲା । ମନେ ହୁଏ ସତେ ଯେମିତି ଯମରାଜ ମଧ୍ୟ ଏମାନଙ୍କୁ ସ୍ବାଗତ କରିବାକୁ ଗେଣ୍ଡୁ ଫୁଲମାଳ ଧରି ସ୍ଵର୍ଗର ମୁଖ୍ୟ ଦ୍ଵାରରେ ଅପେକ୍ଷା କରି ରହିଛନ୍ତି ଏବଂ ବାଟରେ କାଳେ କିଛି ଅଘଟଣ ଘଟିଯିବ, ତେଣୁ ଏମାନଙ୍କ ଯିବା ନିମନ୍ତେ ସ୍ବର୍ଗଦ୍ବାରରେ ସ୍ବତନ୍ତ୍ର ଏହି ବ୍ୟବସ୍ଥା ରହିଛି। କ୍ରୀତଦାସ ଓ ସୁରକ୍ଷା କର୍ମଚାରୀ ମାନଙ୍କୁ ମଧ୍ୟ ଜୀବନ୍ତ ସମାଧୂ ଦିଆ ଯାଉଥିଲା, ଯେପରି କି ମଲା ପରେ ବି ସେମାନଙ୍କୁ ଯଥାବିଧୂ ସେବା ଶୁଶ୍ରୂଷା ମିଳିବାରେ କୌଣସି ବ୍ୟାଘାତ ନ ଘଟେ। ରକ୍ଷା ଅଛି, ଏପରି ବ୍ୟବସ୍ଥା ଆଉ ନାହିଁ, ନଚେତ୍ ଆମ ଦେଶର ଏହି ଅତି ବିଶିଷ୍ଟ ବ୍ୟକ୍ତିମାନେ କେବଳ ସ୍ବର୍ଗଦ୍ବାରରେ ପିଣ୍ଡି ନୁହେଁ, ସ୍ବର୍ଗରେ ମଧ୍ୟ ଆବଶ୍ୟକ ମନୋରଞ୍ଜନ ଓ ସୁରକ୍ଷାର ସ୍ବତନ୍ତ୍ର ବ୍ୟବସ୍ଥା କରି ଦେଇଥା'ନ୍ତେ ।
Comments
Post a Comment