ମାଆ
......ମାଆ .....
ମାଆ ର ସେହି ଅଦୃଶ୍ୟ ସ୍ନେହ ଓ ପ୍ରେମ ଦୁନିଆ ର କୌଣସି ସ୍ଥାନରେ ମିଳେ ନାହିଁ।
ଆଜିକାଲି ସେ ବାଡ଼ିରେ ହୋଇଥିବା ଡାଳପତ୍ର କୁ ବଜାରରେ ବିକିବାକୁ ନେଉଛି ।ସେଥିରୁ ଯାହା ପାଏ,ପରିବାର ଚଳେ । ନିଜେ ବଞ୍ଚିବା ଓ ପରିବାର କୁ ବଞ୍ଚେଇବାର ଉପାଧି କିଏ ଯେ ତାକୁ ଦେଇଛି ମୁଁ ଆଜିପର୍ଯ୍ୟନ୍ତ ଜାଣିପାରି ନାହିଁ ।ଏହି ଉପାଧି ର ମର୍ଯ୍ୟାଦା ରକ୍ଷା କରିବାରେ ସେ କେବେ ବି ଅବଳା ଦୂର୍ବଳା ଅଥବା ପଛଘୁଞ୍ଚା ନ ଦେଇ ସର୍ବଦା ବୀର ଦର୍ପରେ ଆଗେଇ ଚାଲେ । ଯାହା କିଛି ବଜାରରୁ ପାଉଛି ସେଥିରୁ ନିଜେ ବଞ୍ଚିବା ଓ ପରିବାରକୁ ବଂଚେଇବା ରେ ସେ ଆଜି ସକ୍ଷମ । ତା ପୁଅ ବାହାରେ ପଢୁଛି ।
ସେ କେବଳ ଏତିକି ଜାଣିଚି ଯେ ତା ପୁଅ ପଢୁଛି। କିନ୍ତୁ ସେ, କ'ଣ ପଢୁଛି , କେଉଁଠି ରହୁଛି ଏ ବିଷୟରେ କିଛି ଜାଣି ନାହିଁ ।ଆଜି କାଲି ପଇସା ନଥିଲେ ଘରୁ ପାଦେ ଗୋଡ଼ କାଡ଼ିବା କଷ୍ଟକର । ପୁଅଟି ତା ଠାରୁ ବହୁତ୍ ଦୂରରେ ରହୁଛି । ସେ ସବୁବେଳେ ପୁଅଟି ତାର କେମିତି ରହୁଛି, ଆଜି ଖାଇଲା ନା ଭୋକରେ ରହିଲା ,କଣ ଅସୁବିଧା ହେଲା କି ? ଏହିପରି ଅନେକ ପ୍ରଶ୍ନ ରେ ବିଚଳିତ ହୋଇ ଉଠେ । ରାତି ଅଧରେ ତାର ନିଦ ଭାଙ୍ଗି ଯାଏ । ସେ ଶାନ୍ତି ରେ ଶୋଇ ପାରେନି ।ଭୋର୍ ଭୋର୍ ଉଠି ପୁଣିଥରେ ବାଡ଼ିରୁ କିଛି ଶାଗ ଧରି ସିଧା ଚାଲେ ବଜାରକୁ । ମାସକୁ ଥରେ ଅଧେ ଫୋନ ରେ କଥା ହୁଏ । ପଚାରେ " ବାବୁ ରେ ଭଲ ଅଛୁ ?" ଏତିକି ଶୁଣୁ ଶୁଣୁ ମୋ ଆଖିରେ ଟପ୍ ଟପ୍ ଲୁହ ଝରି ଆସେ । ଭଲ ଅଛୁ କଥା ପଦଟିରେ ମୁଁ ଅନୁଭବ କରିପାରେ ତାର ଅନ୍ତର୍ନିହିତ ବେଦନା, କ୍ଳେଶ ।କିଛି କୁହେନି, ବାସ୍ କୁହେ ଭଲରେ ରହ।ମୁ କିଛି ପଇସା ଯୋଗାଡ଼ କରିଛି ପଠାଇ ଦେବି। ଏତିକି ଶୁଣୁ ଶୁଣୁ ମୋ ହୃଦୟ କୋହ ରେ ଫାଟି ପଡେ । ଭୋ ଭୋ ହୋଇ କାନ୍ଦିବାକୁ ଇଛା ହୁଏ ।
ସତରେ ମାଆ ର ସେହି ଅଦୃଶ୍ୟ ସ୍ନେହ ଓ ପ୍ରେମ ଦୁନିଆ ର କୌଣସି ସ୍ଥାନରେ ମିଳେ ନାହିଁ।
ସାଗର ଖରା
ସ୍ନାତକୋତ୍ତର ଦ୍ୱିତୀୟ ବର୍ଷ ,
ଖଲିକୋଟ ଏକକ ବିଶ୍ବିଦ୍ୟାଳୟ, ବ୍ରହ୍ମପୁର
Comments
Post a Comment