ରାଜସ୍ବ ମନ୍ତ୍ରୀ ହୀରାକୁଦ ବିସ୍ଥାପିତ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଜମି ପଟ୍ଟା ଦେଲେ ।

ଝାରସୁଗୁଡ଼ା (ବ୍ରାହ୍ମ ମୁହୂର୍ତ୍ତ)-: ଜିଲ୍ଲାରେ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ହୀରାକୁଦ ବିସ୍ଥାପିତ ଓ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ ସହ  ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ  ଅଭିଯୋଗ ଗ୍ରହଣ କରିଛନ୍ତି। ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ  ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ବସୁନ୍ଧରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ହିତାଧିକାରୀ ତଥା ହୀରାକୁଦ ବିସ୍ଥାପିତଙ୍କୁ ଜାଗା ତଥା ଘର ଯୋଗାଇବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଆଗାମୀ ନଭେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାରେ କେତେ ସଂଖ୍ୟକ ଭୂମିହୀନ ରହିଛନ୍ତି ସେ ସମ୍ପର୍କରେ ସର୍ଭେ ପୂର୍ବକ ଡାଟାବେସ  ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ଓ ସରକାରୀ ଜମିକୁ ଜବର ଦଖଲମୁକ୍ତ କରିବା ଦିଗରେ ପଦକ୍ଷେପ ନେବା ସହ ପଟ୍ଟାଧାରୀମାନଙ୍କୁ ଜମି ଯୋଗାଇ ଦେବାକୁ ବିଧାୟକ ଶ୍ରୀ ତ୍ରିପାଠୀ ଦୃଷ୍ଟି ଆକର୍ଷଣ କରିଥିଲେ। ନଭେମ୍ବର ସୁଦ୍ଧା ମେଗାଲିଫ୍ଟ ପ୍ରକଳ୍ପ ଚାଲୁ କରିବା ସହ କାର୍ଯ୍ୟକ୍ଷମଯୋଗ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତ୍ଵରାନ୍ବିତ କରିବା ସକାଶେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଜୁଲାଇ ମାସ ପୂର୍ବରୁ  ଗୋଦାମଗୃହ,ପାଣି ଓ ଶୌଚାଳୟ ବ୍ୟବସ୍ଥାଯୁକ୍ତ ଧାନମଣ୍ଡି ସକାଶେ ଆନୁସଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଏହି   ଅବସରରେ ରାଜସ୍ବ ମନ୍ତ୍ରୀ ଓ ବିଧାୟକ ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ହୀରାକୁଦ ବିସ୍ଥାପିତ ଓ ଭୂମିହୀନ ପରିବାରମାନଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା।  ଏହି କ୍ରମରେ ଝାରସୁଗୁଡ଼ା ବ୍ଲକର ୪୮ଜଣ ହୀରାକୁଦ ବିସ୍ଥାପିତ ଏବଂ ଲଖନପୁର ବ୍ଲକର ୧୧ ଓ କୋଲାବିରା ବ୍ଲକର ୬ଭୂମିହୀନ ମନ୍ତ୍ରୀଙ୍କ ଠାରୁ ପଟ୍ଟା ଗ୍ରହଣ କରିଥିଲେ। ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ  ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ବାସହୀନ ତଥା ଗୃହହୀନଙ୍କୁ ଜମି ଓ ଘରଡିହ ଯୋଗାଣ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ , ରାସ୍ତା ଓ ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟା ସମ୍ପର୍କିତ ୧୮୪ ଟି ଅଭିଯୋଗ ଆଗତ ହୋଇଥିଲା। ତର୍ଜମା ପୂର୍ବକ ଅଭିଯୋଗ ଗୁଡିକର ସମାଧାନ ସକାଶେ  ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପଠାଯିବ ଏବଂ ଏ ସବୁର ତଦାରଖ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।  ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସଠାରେ ବେଲପାହାଡ଼ ରେଳ ଓଭରବ୍ରିଜ ନିର୍ମାଣ ସକାଶେ ରେଳ ବିଭାଗ ସମେତ ରାଜସ୍ବ, ଜଙ୍ଗଲ ଓ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ସେହିପରି ଏମ୍ ସି ଏଲ୍ ର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ବ୍ରଜରାଜନଗରସ୍ଥିତ ଚଣ୍ଡୀ
 ମନ୍ଦିରର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ, ଲଖନପୁର ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଓ ଏମ୍ ସି ଏଲ୍ ଅଧୀନରେ କାର୍ଯ୍ୟ କରିଥିବା ବିଭିନ୍ନ ସଂସ୍ଥାମାନଙ୍କରେ ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ନିୟମାନୁଯାୟୀ ସ୍ଥାନୀୟ ନିଯୁକ୍ତି ପ୍ରଦାନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ ପୂର୍ବକ ବିସ୍ଥାପିତଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଭିନ୍ନ ସଂସ୍ଥାରେ ଗାଡ଼ି ଚାଳନା ପାଇଁ ଆବଶ୍ୟକ ହେଉଥିବା ଡ୍ରାଇଭର ପଦବୀ ପୂରଣ ଦିଗରେ ସ୍ଥାନୀୟ ଯୁବକଙ୍କୁ ପ୍ରଶିକ୍ଷଣ ଓ ନିଯୁକ୍ତି ତଥା ପୁରୁଣା ସଂସ୍ଥାରେ ଚାକିରୀ କରୁଥିବା କର୍ମଚାରୀଙ୍କୁ ନୂଆ ସଂସ୍ଥାରେ ପୁନଃ ନିଯୁକ୍ତି ପାଇଁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ଅନୁଷ୍ଠିତ ବିଭିନ୍ନ ସମୀକ୍ଷା ଓ ଆଲୋଚନା ବୈଠକରେ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ବନଖଣ୍ଡ ଅଧିକାରୀ ମନୁ ଅଶୋକ 
ଭଟ୍ଟ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ,ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ